ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଆମ୍ବୁଲ

ଲେଖା : ଦାଶ ବେନହୁର

ଓଡ଼ିଆରେ ଗୋଟେ କଥା ଅଛି- “ଯେଉଁ ବର୍ଷ ଭଲ ଧାନ ଅମଳ ହୁଏ, ସେ ବର୍ଷ ଭଲ ଆମ୍ବ ହୁଏ ନାହିଁ । ହୋଇପାରେ ଧାନ ପାଇଁ ପ୍ରଚୁର ଖରା ସାଙ୍ଗ କୁ ନିୟମିତ ବ୍ୟବଧାନରେ ପ୍ରଚୁର ବର୍ଷା ଦରକାର । ଏବଂ ଆମ୍ବ ଗଛରେ ଆମ୍ବ ଫଳିବା ପାଇଁ ଅତି ବେଶି ବର୍ଷା ଦରକାର ନାହିଁ । କିନ୍ତୁ ସେ କଥା ଠିକ୍‌ କରି କେହି ବୁଝାଇ କହିନାହାନ୍ତ। ମୁଁ ଏ କଥା କାହିଁ କି କହୁଛି ବୁଝିପାରୁଛ ତ? ମାନେ, ଧାନ ଫସଲ ଭଳି ଆମ୍ବ ଫସଲକୁ ଓଡ଼ିଆମାନେ କେଉଁ ଆଦିମକାଳରୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। କାରଣ ଆମ୍ବ କେବଳ ଫଳମାନଙ୍କ ଭିତରେ ରାଜା ନୁହେଁ, ଆମ୍ବ ପୁଣି ଯୋରେଇ ଦିଏ ସାରା ବର୍ଷ ପାଇଁ ଏକପ୍ରକାରର ବ୍ୟଞ୍ଜନ ସାମଗ୍ରୀ, ଯାହା ପଖାଳ କ`ଣ, ତବତ ପାଇଁ ବି ଖୁବ୍‌ ଉପଯୋଗୀ । ସେଇ ବ୍ୟଞ୍ଜନ-ସାମଗ୍ରୀ ହେଉଛି ମୁଁ, ଆମୁଲ। ମାଛରୁ ଯେମିତି `ଶୁଖୁଆ`, ଆମ୍ବରୁ
ସେମିତି ମୁଁ “ଆମ୍ବୁଲ` ।

ମୁଁ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ସାଇଂକୁ ଜଣେ ପ୍ରଧାନ ସହଯୋଗୀ ଭାବରେ ସ୍ଵୀକୃତ। ଆଜି ଅବଶ୍ଯ ସମୟ ବଦଳିଛି । କାରଖାନାରେ ଟନ୍‌ଟନ୍‌ ଆଚାର ତିଆରି ହୋଇପାରୁଛି, କିନ୍ତୁ ଦିନ ଥିଲା ଆଚାର ପ୍ରସ୍ତୁତି ଥିଲା ସମ୍ବ୍ରାନ୍ତ ଓଡ଼ିଆ ଘର ଝିଅ ବୋହୂଙ୍ଗର ଗୃହିଣୀପଣିଆର ପରୀକ୍ଷା ଖାତା। ଯେ ସେଥିରେ ଭଲ ନମ୍ବର ରଖୁଥିଲା, ତା`ର ଭାରି ନାଁ ହେଉଥିଲା। ମୁଁ କିନ୍ତୁ ସର୍ବସାଧାରଣଙ୍କର । ଯେତେ ଗରିବଟିଏ ହେଲେ ବି ମୁଁ ତା`ଘରୁ ମିଳୁଥିଲି । ଦିନେ ଓଡ଼ିଶା ସାରା ଥିଲା ଆମ୍ବଗଛର ଭିଡ଼ । କଷି, କଞ୍ଚା, ପୋକଡ଼ା କି କୋଇଲିମାଡ଼ୁଆ ଯାହା ଗୋଟେଇ ଆଣି ତାକୁ କାଟି ଚୋପା ଛଡ଼େଇ ଲୁଣ ଦେଇ ଶୁଖେଇଦେଲେ ଦିନ କେଇଟାରେ ମୁଁ ତିଆରି ହୋଇଯାଏ। ବାସ୍‌ ତା`ପରେ ମତେ ବର୍ଷ ବର୍ଷ ସାଇତି ରଖାଯାଇପାରେ। କରିବାକୁ ସହଜ, ରଖିବାକୁ ସହଜ, ତେଣୁ କି ଗରିବ କି ଧନୀ, ମୁଁ ସମସ୍ତଙ୍କ ପାଖରେ ସହଜରେ ମିଳେ। ଖାସ୍‌ ଗରିବ ମିହନତି ମଣିଷଙ୍କର ମୁଁ ଅତିପ୍ରିୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମୋର ପ୍ରକାର ଭେଦ ପ୍ରଧାନତଃ ଦୁଇପ୍ରକାର-“କଷି ଆମ୍ବୁଲ` ଓ ଠାକରା ଆମ୍ବୁଲ` ବା ଫଡ଼ା ଆମ୍ବୁଲ । ଲୁଣପାଣି ପାଗରେ ଖଣ୍ଡେ କଷି ଆମ୍ବୁଲ ପଡ଼ିଥିଲେ କଂସାଏ ପଖାଳ ଉଠିଯାଏ ମାତ୍ର କେଇଟା ଗୁଣ୍ଡାରେ। ସେମିତି ମୋର ଠାକରା ରୂପ ତା`ର ରଜାପଣ ଦେଖାଏ ଆମ୍ବିଳରେ। ବୁଡ଼ା ଡଙ୍ଗା ପରି ସେ ଥିବ ଆମ୍ବିଳର ଝୋଳ ଭିତରେ। ଖାଇବା ଆରମ୍ବ କଲେ ମନ ହେବ ଖାଇବା ସରିଥିଲେ ବି ମତେ ଯେମିତି ଖାଇବାବାଲାଟି ଛାଡ଼ି ବାକୁ ଅନିଚ୍ଛୁକ । ଚାଟି ଚାଟି ସେ ନୟାନ୍ତ କରିଦିଏ ମତେ।
ମୋ ଉପଯୋଗରେ ଯେଉଁ ରାଇ ପ୍ରସ୍ତୁତ କରାଯାଏ, ସେ ତ ଅନନ୍ଯ। ଯେତେ ଦାମିକା ଖାଦ୍ୟ ହୋଇଥିଲେ ବି ଭୋଜିରେ କେହି କେହି ପାଟି କରି ପଚାରୁଥିବାର ଶୁଣାଯାଏ- ““ଆମୁଲ ରାଇଟା କେଉଁଠି ରଖାହୋଇଛି କି ହୋହ”`
ମୁଁ ଓଡ଼ିଶାର ଏକ ପ୍ରାଚୀନ ଅଥଚ ମୌଳିକ ର ସାଳ ପରିଚୟ। ମୋ କଥାକୁ ନେଇ ଓଡ଼ିଆରେ ଖୁବ୍‌ କମ୍‌ ଗପ ଗୀତ ଲେଖାହୋଇଛି।

କିନ୍ତୁ ମୁଁ ଜାଣେ ତୁମେମାନେ ଆଗକୁ ମୋ ଉପରେ ବହୁତ ଲେଖା ଲେଖି କରିବ। କରିବ ଟି ?∎

ଲେଖା ସମ୍ପର୍କୀୟ ମତାମତ

କୀର୍ତ୍ତନ ସାହୁ

03-02-2026 / 14:47:10

ଯେଉଁ ପ୍ରସଙ୍ଗ ଉପରେ ସାଧାରଣ ଭାବରେ ଦୃଷ୍ଟି ପଡେ ନାହିଁ ତାହାକୁ ନେଇ ମନଲାଖି ଆଲୋଚନା ହୋଇଛି । ପିଲାମାନେ କାହିଁକି ସମସ୍ତଙ୍କ ମନକୁ ପାଇବ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion