ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ପଢିଲେ ସିନା ଜାଣିବି

ଲେଖା : ଡକ୍ଝର କମଳାକାନ୍ତ ଜେନା

ସୂର୍ଯ୍ୟର କିରଣକୁ ଆମେ ଖରା ବୋଲି କହୁ। ସୂର୍ଯ୍ୟ କିରଣ ଗରମ ଲାଗେ। ବାପା କହୁଥିଲେ, ସୂର୍ଯ୍ୟ କିରଣରେ ଶକ୍ତି ଅଛି -
ଆଲୋକ ଶକ୍ତି ଓ ତାପ ଶକ୍ତି। ସଂଜ ହେବା ଆଗରୁ ପାହାଡ ପଛପଟେ ସୂର୍ଯ୍ୟ ଲୁଚିଯାଏ। ଖରା ବି ଚାଲିଯାଏ। ରାତି ଆସେ। ମତେ ଦିନର
ଆକାଶଠାରୁ ରାତିର ଆକାଶ ବେଶୀ ସୁନ୍ଦର ଦିଶେ। ଆକାଶରେ ଜହ୍ନମାମୁ ଥାଏ। ତାରାମାନେ ଥାଆନ୍ତି। ଇସ୍, କେତେ ତାରା! ମୁଁ ତ ଗଣି
ପାରିବିନି। କିନ୍ତୁ ବାପା କହୁଥିଲେ, ଗଣିହେବ। ଲୋକମାନେ ଗଣିଛନ୍ତି। କୁନି କୁନି ତାରାଗୁଡିକ ଆଖି ମିଟି ମିଟି କରନ୍ତି। ଦେଖିଲେ ଖୁସି ଲାଗେ।
ତାରାମାନଙ୍କୁ ଜହ୍ନମାମୁ ଜଗିଥାଏ। ମୁଁ ରାତିରେ ଅଝଟ ହେଲେ ମାଆ କହେ, “ଆ ଜହ୍ନମାମୁ ଶରଗଶଶି, ମୋ କାହ୍ନୁ ହାତରେ ପଡ଼ରେ ଖସି।”
ମାଆର କଥା ଶୁଣି ମୁଁ ଖୁସି ହେଇଯାଏ। ଜହ୍ନମାମୁକୁ ହାତରେ ଧରିବା ପାଇଁ ମୋର ଇଚ୍ଛା ହୁଏ।
ମାଆ କହୁଥିଲା, ଆମେ ପୃଥିବୀ ଉପରେ ରହୁ। ପୃଥିବୀ ଉପରେ ଚାଲୁ। ଆମ ପୃଥିବୀ ଗୋଟିଏ ବଡ ପେଣ୍ଡୁ ପରି। ବଡ ମାନେ ବହୁତ
ବଡ। ଏହା ମାଟି ଓ ପଥରରେ ତିଆରି ହୋଇଛି। ହଁ, ମୁଁ ଭୂଇଁରେ ଚାଲିଲେ ମୋ ପାଦରେ ମାଟି ଲାଗେ। ବାଡ଼ିବଗିଚାରେ ଛୋଟ ଛୋଟ ପଥର ବି
ପଡ଼ିଥାଏ । ମାଆ କାଲି କହିଲା, “ସେ ମୋ ମାଆ ନୁହଁ।” ମୁଁ କାନ୍ଦ କାନ୍ଦ ହୋଇଗଲି। ପୁଣି କହିଲା, “ବାପା ବି ତୋ ବାପା ନୁହନ୍ତି।” ମୁଁ କାନ୍ଦି
ପକେଇଲି। ମୋ କାନ୍ଦ ଦେଖି ସେ ହସୁଛି। ମୁଁ ଜାଣିଗଲି, ସେ ମିଛ କହୁଛି। ସେ ମତେ କହୁଛି, “ବାୟୁ ଓ ପାଣି ହେଉଛି ତୋ ବାପା, ଆଉ ମାଟି ଓ
ଆକାଶ ହେଉଛି ତୋ ମାଆ ।” ମୁଁ ତା` କଥା ବୁଝିପାରିଲି ନାହିଁ । ସେ ବୁଝେଇଦେଲା, `ବା` ମାନେ ବାୟୁ, `ପା` ମାନେ ପାଣି, `ମା` ମାନେ ମାଟି ଓ
`ଆ` ମାନେ ଆକାଶ । ବାୟୁ-ପାଣି-ମାଟି-ଆକାଶକୁ ଆମେ କହୁ `ବା-ପା-ମା-ଆ` । ମତେ କଥାଟା ବଢ଼ିଆ ଲାଗିଲା ।
ମୁଁ ଦିନେ ପଚାରିଲି, “ମାଆ, ମୋ ହାତରେ ଜହ୍ନ ଖସିବ ବୋଲି କାହିଁକି କହୁ? କାଇଁ, ଖସୁନି ତ? ଆଜି ତୁ ସତ କହ, ଜହ୍ନମାମୁକୁ ଛୁଇଁ
ହେବ କି ନାହିଁ ?” ମାଆ କହିଲା, “ହଁ, ଛୁଇଁ ହେବ। କିନ୍ତୁ, ଜହ୍ନମାମୁ ତୋ ହାତରେ ଖସିବ ନାହିଁ । ସେ ବହୁତ ଦୂରରେ ଅଛି। ତାକୁ ଛୁଇଁବା ପାଇଁ
ରକେଟରେ ଯିବାକୁ ହେବ। ତୁ ଭଲ ପଢିଲେ ସିନା ବୈଜ୍ଞାନିକ ହେବୁ ଓ ରକେଟ୍ ଚଲେଇବା ଜାଣିବୁ। ତା`ପରେ ଜହ୍ନମାମୁ ପାଖକୁ ଯିବୁ।
ଜହ୍ନମାମୁ ଉପରେ ଚାଲିବୁ।”
ମୁଁ ଚମକି ପଡ଼ିଲି ଓ ପଚାରିଲି, “ଏଁ, ଏତେ ଛୋଟ ଜହ୍ନମାମୁ ଉପରେ ଚାଲିବି କେମିତି?” ମାଆ ହସିଲା। କହିଲା, “ତୁ ଜହ୍ନମାମୁକୁ
ଛୋଟ ଥାଳି ବୋଲି ଭାବୁଛୁ କି? ଜହ୍ନମାମୁ ବହୁତ ବଡ । ତା` ଆକାର ବି ପେଣ୍ଡୁ ପରି । ବହୁତ ବଡ଼ ପେଣ୍ଡୁ । ସେ ବି ମାଟି ଓ ପଥରରେ ତିଆରି
ହୋଇଛି।” ମୁଁ ପଚାରିଲି, “ସତରେ କଅଣ ମାଟିରେ ତିଆରି ହୋଇଛି? ଆଉ ଏମିତି ଚକ୍ ଚକ୍ ଦିଶୁଛି କାହିଁକି?”
ମାଆ କହିଲା, “ହଁ, ଜହ୍ନମାମୁ ବି ପୃଥିବୀ ପରି ମାଟି ଓ ପଥରରେ ତିଆରି। ଅବଶ୍ୟ ତାହାର ମାଟି ଟିକିଏ ଅଲଗା। ଜହ୍ନମାମୁ ଭୂଇଁର
ଧୂଳି ଉପରେ ସୂର୍ଯ୍ୟକିରଣ ପଡିଲେ ତାହା ଆମକୁ ଚକ୍ ଚକ୍ ଦିଶେ। ସେହି ଧୂଳିକୁ ରେଗୋଲିଥ୍ କହନ୍ତି। ଜହ୍ନମାମୁ ଉପରେ ସୂର୍ଯ୍ୟକିରଣ ନ
ପଡ଼ିଲେ ଆମେ ତାକୁ ଦେଖିପାରିବା ନାହିଁ ।”
ମୁଁ ପଚାରିଲି, “ତୋର ଚନ୍ଦ୍ରଗ୍ରହଣ କଥା ମନେ ଅଛି କି ନାହିଁ ? ସେଦିନ ରାତିରେ ଜହ୍ନମାମୁର ଅଧା କଳା ଦିଶୁଥିଲା।
ଚନ୍ଦ୍ରଗ୍ରହଣ ଲାଗିଛି ବୋଲି ତୁ କହିଲୁ। ଚନ୍ଦ୍ର ବୋଲି କାହାକୁ କହିଲୁ? ଜହ୍ନମାମୁକୁ ଚନ୍ଦ୍ର ବୋଲି କହିଲୁ କି?” ମାଆ କହିଲା, “ହଁ, ମୋର
ମନେ ଅଛି। ସେଦିନ ପୂର୍ଣ୍ଣିମା ଥିଲା। ଜହ୍ନମାମୁକୁ ଚନ୍ଦ୍ର ବୋଲି କହିଲି। ଜହ୍ନକୁ ବୈଜ୍ଞାନିକମାନେ `ଚନ୍ଦ୍ର` ବୋଲି କହନ୍ତି ।
ଛୋଟପିଲାଙ୍କ ପଇଁ ସେ ସିନା ଜହ୍ନମାମୁ। କିନ୍ତୁ ବହିପତ୍ରରେ ଚନ୍ଦ୍ର ବୋଲି ଲେଖାଯାଏ।” ମୁଁ କହିଲି, “ହଁ, ଟିଭିରେ ରେଡ଼ିଓରେ ବି ଚନ୍ଦ୍ର
ବୋଲି କହେ।” ମାଆ ପୁଣି ପଚାରିଲା, “ଚନ୍ଦ୍ରଯାତ୍ରା କଥା ଣୁଣିଛୁ କି ନାହିଁ?” ମୁଁ କହିଲି, “ହଁ, ଶୁଣିଛି।”
ମାଆ ମତେ ବୁଝେଇ ଦେଲା, “ଲୋକମାନେ ରକେଟ୍ ଭିତରେ ବସି ଜହ୍ନମାମୁ ନିକଟକୁ ଯାଆନ୍ତି। ସେହି ଯିବାକୁ କହନ୍ତି
ଚନ୍ଦ୍ରଯାତ୍ରା।” ମାଆର କଥା ଣୁଣି ମୁଁ ମନେ ମନେ ଭାବୁଥିଲି ଯ, ବଡ଼ ହେଲେ ରକେଟ୍ ଚଲେଇବି ଓ ଚନ୍ଦ୍ରକୁ ଯିବି।
ମୁଁ ଟିକିଏ ରହି ପଚାରିଲି, “ମୋ ମାମୁ ତ ଅଜାଙ୍କ ଘରେ ରହନ୍ତି। ସେ ମୋ ମାମୁ। ତୁ ପୁଣି କାହóକି କହୁଯ, ଜହ୍ନ ମୋ ମାମୁ।”
ମାଆ କହିଲା, “ପୃଥିବୀ ଆମ ସମସ୍ତଙ୍କର ମାଆ। ଜହ୍ନ ହେଉଛି ପୃଥିବୀର ଭାଇ। ମାଆର ଭାଇ ହେଲେ ସେ ଆମର ମାମୁ ହେବ କି ନାହିଁ ?”
ମାଆର କଥା ଶୁଣି ମୁ ଆଉ ଥରେ ଚମକି ପଡ଼ିଲି। କହିଲି, “ଏଁ, ପୃଥିବୀର ବି ଭାଇ ଅଛି ? ପୃଥିବୀ ଓ ଚନ୍ଦ୍ର ଦୁହେଁ ଭାଇ-ଭଉଣୀ। ତାହାଲେ ତ
ଚନ୍ଦ୍ର ମୋ ମାମୁ।” ମାଆ କହିଲା, “ତୁଯତେବେଳେ ବେଶୀ ବେଶୀ ପଢ଼ିବୁ, ସେତେବେଳେ ଜହ୍ନମାମୁ ବିଷୟରେ ଢେର କଥା ଜାଣିବୁ।
ଗୋଟିଏ ଜାଗାରୁ ଜହ୍ନ ଓ ପୃଥିବୀ ତିଆରି ହୋଇଛନ୍ତି ବୋଲି ଜାଣିବୁ। ତାପରେ ଜହ୍ନ କେମିତି ପୃଥିବୀର ଭାଇ ହେଲା ବୁଝିପାରିବୁ।”
ମାଆର କଥା ଶୁଣି ମୁଁ ଭାବୁଥିଲି, ମୁଁ କେବେ ବଡ଼ ହେବି, ପାଠ ପଢ଼ିବି, ଆଉ ସବୁ ଜାଣିବି ।

ପ୍ରାଧ୍ୟାପକ (ରିଡର୍, ପଦାର୍ଥ ବିଜ୍ଞାନ),
ଭଦ୍ରକ ଅଟୋନମସ (ସରକାରୀ) କଲେଜ,
ଭଦ୍ରକ-୭୫୬୧୦୦,
ଫୋନ୍-୯୪୩୯୫୦୧୬୫୧

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

03-02-2026 / 20:57:34

ବହୁତ ଭଲଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion