ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଏଡି ଦେବାନି ବଡଙ୍କ ବାଣୀ

ଲେଖା : ରତ୍ନାକର ଦାସ

ଗାଁ`କୁ ଲାଗିଛି ଝାଟିଆ ବଣ। ମଝିରେ ଥାଏ ପିଚୁ ସଡକଟି। ସେଇ ଝାଟିଆ ବଣରେ ବିଲୁଆ ରହେ ତା ଛୁଆ ମାନଙ୍କ ସହିତ। ବେଳେ ବେଳେ ତା`ଛୁଆ ମାନଙ୍କୁ ଗାତରେ ଛାଡି ସିଏ ଆହାର ସଂଗ୍ରହ କରିବାକୁ ଯାଏ। ଛୁଆଙ୍କୁ ସବୁବେଳେ ହିତ କଥା କହେ। ବୁଝାଇଥାଏ ମିଳିମିଶି ଚଳିବା ପାଇଁ। ଅନ୍ଯ ସହିତ ହିଂସା ଓ ବାଦ ନ କରିବାକୁ ବାରମ୍ବାର ତାଗିଦ କରେ। ଛୁଆମାନେ ହଁ ମାରନ୍ତି ମା`କଥାରେ।
ମା` ବିଲୁଆ ଦିନେ କୌଶଳ କରି ଗାଁ`ରୁ କୁକୁଡାଟିଏ ଝାମ୍ପି ନେଲା। ଛୁଆମାନେ ଖୁସିରେ କୁରୁଳି ଉଠିଲେ ଓ ଖାଇଲେ ମିଳିମିଶି। କୁକୁଡାର ଡେଣା ଓ ଗୋଡକୁ ପକାଇ ଦେଲେ ଗାତ ପାଖ ପଡିଆରେ। ସକାଳ ହେବାରୁ କାଉମାନେ ଉଡିଯାଉଥିଲେ କା` କା` କରି। କୁକୁଡାର ଡେଣା ଓ ଗୋଡକୁ ଦେଖି ଖସିଲେ ତଳକୁ। ମା`ବିଲୁଆ ବାରଣକୁ ବେଖାତିର କରି ଛୁଆ ଦି`ଟା କାଉକୁ ଘଉଡାଇ ଦେବାରୁ ସେମାନେ ଉଡିଗଲେ ସିନା ରାଗ ରଖିଲେ ବିଲୁଆ ଛୁଆଙ୍କ ଉପରେ।
ଏମିତି ଅନେକ ଦିନ ବିତିଗଲା। ବିଲୁଆ ଛୁଆମାନେ ବଡ ହେଇ ଯିବାରୁ ନିଜେ ଆହାର ସଂଗ୍ରହ କରି ଖାଇଲେ ଓ ଖେଳାବୁଲା କଲେ। ଦିନେ ମା`କୁ ନ ଜଣାଇ ବଡଟା ଗାଁ` ଭିତରକୁ ପଶିଲା କୁକୁଡା ଆଶାରେ। ଛକି ବସିଲା ନଳିତା ବାଡିରେ। ସିଏ ଜାଣି ନ ଥିଲା କାଉମାନେ ସେହିଦିନ ଠାରୁ ତାକୁ ନଜରରେ ରଖିଛନ୍ତି ବୋଲି। ସେମାନେ ବହୁ ସଂଖ୍ୟାରେ ନଳିତା ବାଡି ଉପରେ କା` କା କରି ଚକ୍କର କାଟିଲେ। କାଉମାନଙ୍କ ଉଡିବା ଦେଖି କୁକୁରମାନେ ଭୁକିଲେ। ଲୋକମାନେ ଏ ସବୁ ଦେଖି ଠେଙ୍ଗା ବାଡି ଧରି ନଳିତା ବାଡି ଆଡକୁ ମୁହାଁଇଲେ ଯେ ବିଲୁଆ ଜୀବନ ବିକଳେ ଧାଇଁଲା ବଣ ଆଡକୁ। ତା` ପଛରେ କୁକୁର ଜମାନେ ବି। ଗାତରେ ପହଞ୍ଚିଲା ବେଳକୁ ତା` ଗୋଡ ଓ ମୁହଁରୁ ରକ୍ତ ଝରୁଥାଏ। ମା`ବିଲୁଆ ତାକୁ କହିଲା ଏବେ ଜାଣିଲୁ ତ, ଅମାନିଆ ହେଲେ ଏମିତି ଫଳ ଭୋଗିବାକୁ ହୁଏ।
ସେହିଦିନଠାରୁ କାଉ ଓ ବିଲୁଆଙ୍କ ମଧ୍ଯରେ ଭଲ ସଂପର୍କ ନାହିଁ।

ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି ,ଶଂଖୋ,କେନ୍ଦୁଝର।

ଲେଖା ସମ୍ପର୍କୀୟ ମତାମତ

Niranjan Sahoo

02-08-2026 / 12:51:23

ଶିଶୁ ଉପଯୋଗୀ ଗପ।

Haripriya Pattnaik

01-08-2026 / 22:49:20

ନୀତିକଥା ଥାଇ ଭଲ ଗପଟିଏ।

କୀର୍ତ୍ତନ ସାହୁ

01-08-2026 / 14:50:00

ଶିକ୍ଷଣୀୟ ଗପଟିଏ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion